ମହାନଦୀ ଜଳବିବାଦ ; ଦିଲ୍ଲୀ ବୈଠକ ପରେ ମୋହନ ମାଝୀଙ୍କ ବଡ଼ ସୂଚନା

ନୂଆଦିଲ୍ଲୀ କର୍ତ୍ତବ୍ୟ ଭବନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ମହାନଦୀ ଜଳ ବିବାଦ ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର. ପାଟିଲ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଉପସ୍ଥିତ ଥିଲେ।ଆଜିର ବୈଠକ ପ୍ରାୟ ଏକ ଘଣ୍ଟା ଧରି ଚାଲିଥିବା ସୂଚନା ମିଳିଛି ।ବୈଠକ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଉଭୟ ଓଡ଼ିଶା ଓ ଛତିଶଗଡ଼ରେ ସରକାର ପରିବର୍ତ୍ତନ ପରେ ମହାନଦୀ ଜଳବିବାଦର ସମାଧାନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ୨୦୨୫ ଜୁଲାଇ ଓ ଅଗଷ୍ଟରୁ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ସ୍ତରରେ ଆଲୋଚନା ଆରମ୍ଭ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ମୁଖ୍ୟ ଶାସନ ସଚିବ ଓ ଜଳସମ୍ପଦ ସଚିବ ସ୍ତରରେ ମଧ୍ୟ ଏକାଧିକ ବୈଠକ ହୋଇଛି ବୋଲି ସେ କହିଛନ୍ତି । ଗତ ଜୁଲାଇ ୩୦ରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର. ପାଟିଲଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଉଭୟ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ମଧ୍ୟ ମହାନଦୀ ଜଳବିବାଦ ନେଇ ଆଲୋଚନା ହୋଇଥିଲା। ତେବେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମେ ଧୀରେ ଧୀରେ ସମାଧାନର ନିକଟତର ହେଉଛୁ । ଖୁବ୍ ଶୀଘ୍ର ଏହାର ଚୂଡ଼ାନ୍ତ ରୂପରେଖ ପ୍ରକାଶ ପାଇବ ବୋଲି ସେ ଆଶା ରଖିଛନ୍ତି । ଉଭୟ ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମାଧାନର ପନ୍ଥା ବାହାରିବ ବୋଲି ସେ କହିଛନ୍ତି ।ମହାନଦୀ ସମସ୍ୟାର ସମାଧାନ ପାଇଁ ଗୃହମନ୍ତ୍ରୀ ଅମିତ ଶାହ ନିଜେ ଦାୟିତ୍ୱ ନେଇ ସମାଧାନର ପନ୍ଥା ବାହାର କରିବା ପାଇଁ ଉଦ୍ୟମ କରିଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ କେନ୍ଦ୍ର ଗୃହ ମନ୍ତ୍ରୀ, ଜଳ ଶକ୍ତି ମନ୍ତ୍ରୀ ଓ ଦୁଇ ମୁଖ୍ୟମନ୍ତ୍ରୀଙ୍କ ସହିତ କେନ୍ଦ୍ର ଗୃହ ମନ୍ତ୍ରାଳୟ, ଜଳଶକ୍ତି ମନ୍ତ୍ରାଳୟ, କେନ୍ଦ୍ରୀୟ ଜଳ ଆୟୋଗ ଏବଂ ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟ ଶାସନ ସଚିବ ଓ ଉଚ୍ଚ ପଦାଧିକାରୀ ଗଣ ଉପସ୍ଥିତ ଥିଲେ ।

ଅଧିକ ପଢନ୍ତୁ