ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ପରିଚାଳନାକୁ ନେଇ ବଢ଼ୁଥିବା କଳ୍ପନାଜଳ୍ପନା ଶେଷ। ଅକ୍ଟୋବର 15 ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ, ଅକ୍ଟୋବର 16 ତାରିଖରେ ନବନିର୍ବାଚିତ ଛାତ୍ର ପ୍ରତିନିଧିମାନେ ଶପଥ ଗ୍ରହଣ କରିବେ । ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ଏହି ସୂଚନା ଦେଇଛନ୍ତି ।ସୂଚନା ଅନୁସାରେ, ଅକ୍ଟୋବର 7ରେ ଏହି ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇବ । 9 ତାରିଖରେ ସକାଳ 10ଟାରୁ ଅପରାହ୍ନ 1ଟା ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରାଯିବ । ସେହି ଦିନ ଅପରାହ୍ନ 2ଟାରୁ 4ଟା ପର୍ଯ୍ୟନ୍ତ ନାମାଙ୍କନ ଯାଞ୍ଚ କରାଯିବ ଏବଂ ସନ୍ଧ୍ୟା 5ଟାରେ ବୈଧ ନାମ ପ୍ରକାଶିତ ହେବ । 10 ତାରିଖରେ ସକାଳ 10ଟାରୁ ଅପରାହ୍ନ 1ଟା ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର କରିବା ପାଇଁ ସମୟ ରହିବ । ସେହି ଦିନ ଅପରାହ୍ନ 3ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ପ୍ରାର୍ଥୀମାନେ 14 ଅକ୍ଟୋବରରେ “ମୁଁ କାହିଁକି ଠିଆ ହୋଇଛି (Why I Stand For)” ବୈଠକ ହେବେ । 15 ଅକ୍ଟୋବରରେ ସକାଳ 8ଟାରୁ ଅପରାହ୍ନ 2ଟା ପର୍ଯ୍ୟନ୍ତ ମତଦାନ ଚାଲିବ, ତା’ପରେ ଗଣନା ଆରମ୍ଭ ହେବ । 16 ଅକ୍ଟୋବରରେ ସକାଳ 11ଟାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ।
