INDIA ମେଣ୍ଟର ଓଡ଼ିଶା ବନ୍ଦ, ୪ ଦଫା ଦାବିରେ ଆହ୍ୱାନ

 INDIA ମେଣ୍ଟର ଓଡ଼ିଶା ବନ୍ଦ ଡାକରା । ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏ ୧୨ ଘଣ୍ଟିଆ ବନ୍ଦ ପାଳନ ପାଇଁ ଆହ୍ବାନ । କଂଗ୍ରେସ ସମେତ ଇଣ୍ଡିଆ ମେଣ୍ଟର ସହଯୋଗୀ ସିପିଆଇ, ସିପିଏମ,ଫରୱାର୍ଡ ବ୍ଲକ, ଏନସିପି ଶରଦ ପାୱାର, ସମାଜବାଦୀ ପାର୍ଟି, ଆରଜେଡି ଓ ଜେଏମଏମ ସାମିଲ  । ୪ ଦଫା ଦାବିରେ ବନ୍ଦ ଡାକରା ଦେଇଛି ଇଣ୍ଡିଆ ମେଣ୍ଟ ।ରାଜଧାନୀ ଭୁବନେଶ୍ୱରରୁ ଆରମ୍ଭ କରି କଟକ ପର୍ଯ୍ୟନ୍ତ ରାସ୍ତାରେ ଦେଖିବାକୁ ମିଳିଛି ବନ୍ଦର ପ୍ରଭାବ। ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ ରେଳ ଷ୍ଟେସନରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ । ବିକ୍ଷୋଭରେ ସାମିଲ ହୋଇଛନ୍ତି କଂଗ୍ରେସର ବରିଷ୍ଠ ନେତାମାନେ । ସେପଟେ ରାଜଧାନୀର ଫାୟାର ଷ୍ଟେସନ୍ ଛକରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଗାଡ଼ି ଅଟକାଇ ପ୍ରତିବାଦ କରିଛନ୍ତି ଆନ୍ଦୋଳନକାରୀ ।କଟକ ବସଷ୍ଟାଣ୍ଡରୁ ମଧ୍ୟ ବସ୍ ଚଳାଚଳ ପ୍ରଭାବିତ ହୋଇଛି। ବସ୍ ନଗଡ଼ିବାରୁ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି । ସେପଟେ ମାଲକାନଗିରି, ଭଦ୍ରକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ମଧ୍ୟ ବନ୍ଦ ପାଳନର ଚିତ୍ର ସାମ୍ନାକୁ ଆସୁଛି । କେଉଁଠି ରାସ୍ତା ଅବରୋଧ କରାଯାଉଛି, ତ ଆଉ କେଉଁଠି ଗାଡ଼ି ଚଳାଚଳକୁ ବିରୋଧ କରାଯାଉଛି ।MMDR ସଂଶୋଧନ ଆଇନକୁ ପ୍ରତ୍ୟାହାର, ପାଠ୍ୟପୁସ୍ତକରେ ତ୍ରୁଟି ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା, SIR ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ରଖାଯାଇଛି । ବନ୍ଦକୁ ଶାନ୍ତିପୂର୍ଣ୍ଣ ଭାବେ ସଫଳ କରିବା ପାଇଁ ଜନସାଧାରଣ, ବ୍ୟବସାୟୀ, ଶ୍ରମିକ, କୃଷକ, ଛାତ୍ର-ଯୁବ ସଂଗଠନକୁ ମେଣ୍ଟ ପକ୍ଷରୁ ଅପିଲ କରାଯାଇଛି। ବନ୍ଦ ରହିପାରେ ଦୋକାନ ବଜାର, ବ୍ୟାବସାୟିକ ପ୍ରତିଷ୍ଠାନ ଓ ବେସରକାରୀ ଅଫିସ ।ପ୍ରଭାବିତ ହୋଇପାରେ ସାଧାରଣ ପରିବହନ ବ୍ୟବସ୍ଥା । ପ୍ରମୁଖ ରେଳ ଓ ସଡ଼କ ପଥରେ ଆନ୍ଦୋଳନକାରୀମାନେ ପିକେଟିଂ କରିବା ଯୋଗୁଁ ଯାତାୟାତରେ ବାଧା ସୃଷ୍ଟି ହୋଇପାରେ। ଟ୍ରକ, ଅଟୋ ଆଦି ସେବା ବନ୍ଦ ରହିପାରେ ।

ଅଧିକ ପଢନ୍ତୁ