SIRରେ କଟିଲେ ୨୦ ଲକ୍ଷ,ଗଞ୍ଜାମରୁ ବାଦ୍ ପଡ଼ିଛନ୍ତି ସର୍ବାଧିକ ୨ ଲକ୍ଷ ୭ ହଜାର ୬୨୪ ଭୋଟର

୨୦୨୬ ମସିହା ନିମନ୍ତେ ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision ବା SIR) ପ୍ରକ୍ରିୟା ଆଧାରରେ ଡ୍ରାଫ୍ଟ ଇଲେକ୍ଟୋରାଲ୍ ରୋଲ୍ ପ୍ରକାଶ ପାଇଛି।ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ପ୍ରକ୍ରିୟାରେ ରାଜ୍ୟରୁ ପ୍ରାୟ ୨୦ ଲକ୍ଷରୁ ଅଧିକ ନାମ ଭୋଟର ତାଲିକାରୁ କାଟି ଦିଆଯାଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ଗଞ୍ଜାମ ଜିଲ୍ଲାରୁ ବାଦ୍ ପଡ଼ିଛନ୍ତି ସର୍ବାଧିକ ୨ ଲକ୍ଷ ୭ ହଜାର ୬୨୪ ଭୋଟର। ଦ୍ବିତୀୟରେ ରହିଛି କଟକ, ଏହି ଜିଲ୍ଲାରୁ ବାଦ୍ ପଡ଼ିଛନ୍ତି ୧ ଲକ୍ଷ ୫୫ ହଜାର ୧୬୪ ଜଣ ଭୋଟର। ସେହିପରି ମୟୂରଭଞ୍ଜ ଜିଲ୍ଲାରୁ ୧ ଲକ୍ଷ ୧୧ ହଜାର ୨୬୭ ଜଣ ଓ ଯାଜପୁର ଜିଲ୍ଲାରୁ ୧ ଲକ୍ଷ ୫ ହଜାର ୧୪ ଭୋଟର ବିଭିନ୍ନ କାରଣରୁ ବାଦ୍ ପଡିଛନ୍ତି। ତେବେ ଏତେ ସଂଖ୍ୟାରେ ଭୋଟରଙ୍କ ପରିଗଣନା ଫର୍ମ ନମିଳିବା ପଛରେ କାରଣ ହେଉଛି ଭୋଟରଙ୍କ ମୃତ୍ୟୁ, ସ୍ଥାନାନ୍ତର, ଏକାଧିକ ସ୍ଥାନରେ ଭୋଟର ତାଲିକାରେ ନାଁ ରହିବା ସହ ଅନ୍ୟ କିଛି କାରଣ ବି ରହିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଗଞ୍ଜାମ ଜିଲ୍ଲାରୁ ୨୦ ହଜାର ୪୯୭ ଜଣ ଭୋଟରଙ୍କ ପତ୍ତା ମିଳୁନି। ଯେଉଁଥିପାଇଁ ସେମାନଙ୍କୁ ଖୋଜି ପାଇନାହାନ୍ତି BLO।ତେବେ ବିଭିନ୍ନ ଜିଲ୍ଲାରୁ ଏମିତି ମାଳ ମାଳ ଅଭିଯୋଗ ସାମ୍ନାକୁ ଆସୁଛି। ଗତକାଲି ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଥିଲେ SIR ପ୍ରଥମ ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ ଭୋଟର୍ ବିଭିନ୍ନ କାରଣ ପାଇଁ ଡ୍ରାଫଟ୍ ଭୋଟର ଲିଷ୍ଟରୁ ବାଦ୍ ପଡିଛନ୍ତି। ସେମାନଙ୍କଠାରୁ ପରିଗଣନା ଫର୍ମ ମିଳିପାରିନି। ତେବେ ଅଗଷ୍ଟ ୪ ତାରିଖ ଭିତରେ ଆପତ୍ତି ଅଭିଯୋଗ ଆସିଲେ ତର୍ଜମା କରାଯାଇ ନାଁଗୁଡ଼ିକୁ ପୁଣିଥରେ ତାଲିକାରେ ସାମିଲ କରାଯାଇପାରିବ।

ଅଧିକ ପଢନ୍ତୁ