ଫିଲ୍ମ ‘ଇଥା’ ଜରିଆରେ ବଡ଼ ପରଦାକୁ ଆସିବେ ‘ସ୍ତ୍ରୀ’ ନାୟିକା ଶ୍ରଦ୍ଧା କପୁର । ଫିଲ୍ମଟି କିମ୍ବଦନ୍ତୀ ମରାଠୀ ଲାବଣୀ ନୃତ୍ୟଶିଳ୍ପୀ ବିଠାବାଈ ଭାଉ ମାଙ୍ଗ ନାରାୟଣଗାଓଁକରଙ୍କ ଜୀବନର ନାଟ୍ୟ ରୂପାନ୍ତର । ଶ୍ରଦ୍ଧାଙ୍କ ଇଥା’ ର ଟିଜର ସୋସିଆଲ ମିଡିଆରେ ଦ୍ରୁତଗତିରେ ଭାଇରାଲ ହେଉଛି, ଯେଉଁଥିରେ ତାଙ୍କର ଚମତ୍କାର ଲୁକ୍ ଦେଖିବାକୁ ମିଳିଛି । ଇଥା’ ର ଟିଜର ‘କକଟେଲ୍ 2’ ସହିତ ରିଲିଜ୍ କରାଯାଇଥିଲା, ଯାହା ପରେ ଲୋକମାନେ ଏହାକୁ ଇଣ୍ଟରନେଟରେ ଭାଇରାଲ କରିଦେଇଛନ୍ତି ।ଟିଜର୍ରେ ବିଠାବାଈ ଭୂମିକା ନିର୍ବାହ କରିଥିବା ଶ୍ରଦ୍ଧା ୯ ମାସର ଗର୍ଭବତୀ ହୋଇ ମଧ୍ୟ ଲାବଣୀ ପ୍ରଦର୍ଶନ ପାଇଁ ପ୍ରସ୍ତୁତ ହେଉଥିବାରୁ କଷ୍ଟରେ କାନ୍ଦୁଛନ୍ତି । ମା’ ହେବା ପରେ ତୁରନ୍ତ ମଞ୍ଚରେ ପ୍ରଦର୍ଶନ ପାଇଁ ସେ ନିଷ୍ପତ୍ତି ନେଇଛନ୍ତି । ନୃତ୍ୟ ଦ୍ୱାରା ଜୀବନ ଯାଇପାରେ ବୋଲି ତାଙ୍କୁ ଚେତାବନୀ ଦିଆଯିବା ପରେ ମଧ୍ୟ ସେ ଦୃଢ଼ ଭାବେ ଘୋଷଣା କରିଛନ୍ତି ବାରମ୍ବାର ପଡ଼ିବା ପରେ ମୃତ୍ୟୁ ହେଲେ ଲୋକେ ମୋତେ ଜଣେ ବେସାହାରା ମହିଳା ଭାବେ ମନେ ରଖିବେ। କିନ୍ତୁ ଯଦି ନୃତ୍ୟ କରି ମରିଯାଏ, ମୁଁ କିମ୍ବଦନ୍ତୀ ହୋଇଯିବି । ଟିଜର୍ ବିଠାବାଈଙ୍କ ଯାତ୍ରା, ନୃତ୍ୟ ପ୍ରଦର୍ଶନ ପାଇଁ ତାଙ୍କ ପାସନ୍ ଓ କଳା ପ୍ରତି ସମର୍ପଣ ଭାବକୁ ଦେଖାଇଛି । ଲକ୍ଷ୍ମଣ ଉତେକରଙ୍କ ନିର୍ଦ୍ଦେଶିତ ‘ଇଥା’ରେ ଶ୍ରଦ୍ଧାଙ୍କ ସମେତ ରଣଦୀପ ହୁଡା ଓ ମହମ୍ମଦ ଜିଶାନ ଆୟୁବ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି ।ଶ୍ରଦ୍ଧା କପୁରଙ୍କ ‘ଇଥା’ ହେଉଛି ବିଠାବାଇ ନାରାୟଣଗାଓଁକରଙ୍କ ଜୀବନୀ ଆଧାରିତ ଚଳଚ୍ଚିତ୍ର । ବିଠାବାଇଙ୍କୁ ତମାଶା କ୍ୱିନ୍ ଭାବେ ଜଣାଯାଏ ଏବଂ ସେ ମହାରାଷ୍ଟ୍ରର ଲୋକନାଟ୍ୟ ପରମ୍ପରାର ଜଣେ ପ୍ରସିଦ୍ଧ ବ୍ୟକ୍ତିତ୍ୱ ଥିଲେ ।
