ଏନଏସି ହାଇସ୍କୁଲରେ ବିଶ୍ୱ ସାଇକେଲ ଦିବସ ପାଳିତ

ସୁସ୍ଥ ସମାଜ ଓ ସବୁଜ ପରିବେଶ ଗଠନର ବାର୍ତ୍ତା

ନୟାଗଡ଼,(ଓଡ଼ିଶା ଦର୍ପଣ): ସୁସ୍ଥ ସମାଜ ଓ ସବୁଜ ପରିବେଶ ଗଠନ ପାଇଁ ସାଇକେଲ ଚାଳନା ଏକ ଆବଶ୍ୟମ୍ଭାଵୀ ମାଧ୍ୟମ। ଏହି ଉଦ୍ଦେଶ୍ୟକୁ ନେଇ ସ୍ଥାନୀୟ ନୟାଗଡ଼ ଏନଏସି ହାଇସ୍କୁଲ ପରିସରରେ ବିଶ୍ୱ ସାଇକେଲ ଦିବସ ଉତ୍ସାହର ସହ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁରେନ୍ଦ୍ର କୁମାର ଖଣ୍ଡାଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସାଇକେଲ ଶୋଭାଯାତ୍ରା ସହର ପରିକ୍ରମା କରିବା ସହ ଜନସାଧାରଣଙ୍କ ମଧ୍ୟରେ ସଚେତନତାର ବାର୍ତ୍ତା ବାଣ୍ଟିଥିଲା।

ଏହି ଉପଲକ୍ଷେ ଆୟୋଜିତ ସଭାରେ ଅତିଥି ଭାବେ ଅବସରପ୍ରାପ୍ତ ବ୍ଲକ ଶିକ୍ଷାଧିକାରୀ ନିମାଇଁ ଚରଣ ପ୍ରଧାନ, ‘ମୋ ସ୍କୁଲ’ ସଭାପତି ଲକ୍ଷ୍ମୀଧର ମହାପାତ୍ର ଏବଂ ଅବସରପ୍ରାପ୍ତ ଶିକ୍ଷକ ପ୍ରଦୀପ୍ତ ଡାକୁଆ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।


ଆଧୁନିକ ଯାନ୍ତ୍ରିକ ସଭ୍ୟତାର ଚୌହଦୀ ମଧ୍ୟରେ ସାଇକେଲ କେବଳ ଏକ ଗମନାଗମନର ମାଧ୍ୟମ ନୁହେଁ, ବରଂ ଏହା ସୁସ୍ଥ ଜୀବନଶୈଳୀ ଓ ପ୍ରଦୂଷଣମୁକ୍ତ ଧରିତ୍ରୀ ଗଠନର ଏକ ଅମୋଘ ଆୟୁଧ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ସାଇକେଲ ଚାଳନା ଦ୍ଵାରା ଶାରୀରିକ ସୁସ୍ଥତା ବଜାୟ ରହିବା ସହ ବଢୁଥିବା ବିଶ୍ୱ ତାପାୟନ (ଗ୍ଲୋବାଲ ୱାର୍ମିଂ) ଏବଂ ବାୟୁ ପ୍ରଦୂଷଣକୁ ପ୍ରତିହତ କରାଯାଇପାରିବ। ବିଶେଷ କରି କାର୍ବନ ଡାଇଅକ୍ସାଇଡ୍ ନିର୍ଗମନ ହ୍ରାସ କରି ପରିବେଶର ସନ୍ତୁଳନ ରକ୍ଷା କରିବାରେ ଏହାର ଭୂମିକା ଅନନ୍ୟ ବୋଲି ବକ୍ତାମାନେ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ।

ଅଧିକ ପଢନ୍ତୁ