କମିଲା ପିଆଜ ଦର: ମଣ୍ଡିରେ ୯ ଦିନରେ ହୋଲସେଲ ଦର ୯% ହ୍ରାସ

ଦେଶର ବିଭିନ୍ନ ମଣ୍ଡିରେ ପିଆଜ ଦର ହ୍ରାସ ହେବାର ଧାରା ଜାରି ରହିଛି। ଗତ ୯ ଦିନ ମଧ୍ୟରେ ଦେଶବ୍ୟାପୀ ପିଆଜର ହୋଲସେଲ ଦର ପ୍ରାୟ ୯ ପ୍ରତିଶତ ପର୍ଯ୍ୟନ୍ତ କମିଛି। ଏନେଇ ଉପଭୋକ୍ତା ବ୍ୟାପାର ସଚିବ ନିଧି ଖାରେ କହିଛନ୍ତି ଯେ, ଦେଶରେ ପିଆଜର କୌଣସି ଅଭାବ ନାହିଁ। ସରକାର ୪୮ଟି ସହରରେ କିଲୋପିଛା ୩୫ ଟଙ୍କା ଦରରେ ପିଆଜ ଉପଲବ୍ଧ କରାଉଛନ୍ତି।ତେବେ ଚଳିତବର୍ଷ ପିଆଜ ଉତ୍ପାଦନରେ ବଡ଼ ହ୍ରାସ ହୋଇନାହିଁ। ୨୦୨୫-୨୬ରେ ଦେଶର ମୋଟ ପିଆଜ ଉତ୍ପାଦନ ପ୍ରାୟ ୩୦୭.୩୭ ଲକ୍ଷ ଟନ୍ ହେବ ବୋଲି ଆକଳନ କରାଯାଇଛି। ପୂର୍ବବର୍ଷ ଏହା ୩୦୭.୬୭ ଲକ୍ଷ ଟନ୍ ଥିଲା। ଅର୍ଥାତ୍ ଉତ୍ପାଦନରେ ସାମାନ୍ୟ ହ୍ରାସ ହୋଇଥିଲେ ମଧ୍ୟ ସରକାରଙ୍କ ଅନୁସାରେ ଦେଶରେ ପିଆଜର ଯୋଗାଣ ପର୍ଯ୍ୟାପ୍ତ ରହିଛି।ସରକାରୀ ତଥ୍ୟ ଅନୁସାରେ, ମଙ୍ଗଳବାର ଦେଶରେ ପିଆଜର ହାରାହାରି ଖୁଚୁରା ଦର କିଲୋପିଛା ୫୩.୯୨ ଟଙ୍କା ରହିଛି। ଯାହା ପୂର୍ବ ମାସ ତୁଳନାରେ ପ୍ରାୟ ୪୮ ପ୍ରତିଶତ ଅଧିକ। ଗତବର୍ଷର ସମାନ ସମୟ ତୁଳନାରେ ମଧ୍ୟ ଏଥର ଦର ପ୍ରାୟ ୯୪ ପ୍ରତିଶତ ଅଧିକ ରହିଛି। ତେବେ ହୋଲସେଲ ବଜାରରେ ଦର କମିବା ଆରମ୍ଭ ହୋଇଥିବାରୁ ଖୁଚୁରା ବଜାରରେ ମଧ୍ୟ ଏହାର ପ୍ରଭାବ ପଡ଼ିବାର ସଙ୍କେତ ମିଳୁଛି।

ଅଧିକ ପଢନ୍ତୁ