ଛତିଶଗଡ଼ରେ ପ୍ରବଳ ବର୍ଷା ପରେ ଫୁଲୁଛି ମହାନଦୀ। ଏବେ ହୀରାକୁଦର ୨୮ ଗେଟ ଦେଇ ଜଳ ନିସ୍କାସନ କରାଯାଉଛି। ହୀରକୁଦ ଡ୍ୟାମକୁ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୬ଲକ୍ଷ ୧୭ ହଜାର ୩୦୮କ୍ୟୁସେକ୍ ଜଳ। ସେକେଣ୍ଡ ପିଛା ନିଷ୍କାଷିତ ହେଉଛି, ୪ ଲକ୍ଷ ୯୬ ହଜାର ୬୦୨ କ୍ୟୁସେକ୍। ଆଜି ସକାଳ ୯ଟା ଭିତରେ ପ୍ରାୟ ୮ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବା ସମ୍ଭାବନା ରହିଛି।ମହାନଦୀରେ ଛୋଟଧରଣର ବନ୍ୟା ସ୍ଥିତି ସୃଷ୍ଟି ହେବ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି ।ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ କୁମାର ରାଉତ ଆକଳନ କରି କହିଛନ୍ତି, ମହାନଦୀ ନଦୀ ପ୍ରଣାଳୀର ବିଭିନ୍ନ ଅବବାହିକାରେ ପ୍ରବଳ ବର୍ଷା ହୋଇଛି । ସେଓନାଥ, ଜୋଙ୍କ ଓ ମହାନଦୀର ଅନ୍ୟ ଉପନଦୀରେ ଜଳପ୍ରବାହ ବଢ଼ିଛି । ସୋମବାର ସୁଦ୍ଧା ମୁଣ୍ଡୁଳିରେ ୮ଲକ୍ଷ ଘନଫୁଟ ପାଣି ପ୍ରବାହିତ ହେବ । ମହାନଦୀରେ ଛୋଟଧରଣର ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ । ମହାନଦୀର ଶାଖା ନଦୀ ଲୁଣା, କରାଣ୍ଡିଆ, ଚିତ୍ରୋତ୍ପଳା, କାଠଯୋଡ଼ି, କୁଆଖାଇ, ଦେବୀ, କୁଶଭଦ୍ରା, ଦୟା, ଭାର୍ଗବୀ, ରାଜୁଆ ଓ ମକରା ଭଳି ନଦୀରେ ପାଣି ଫୁଲି ବନ୍ୟା ସ୍ଥିତି ସୃଷ୍ଟି ହେବ । ତଳିଆ ଅଞ୍ଚଳ ଯେପରିକି କଟକର ବାଙ୍କୀ, ବଡ଼ମ୍ବା, ଆଠଗଡ଼, ପୁରୀ ଜିଲ୍ଲାର କଣାସ, ନିମାପଡ଼ା, ଗୋପ, ଜଗତସିଂହପୁରର ଏରସମା, ବାଲିକୁଦା, କେନ୍ଦ୍ରାପଡ଼ାର ପାଟକୁରା, ଡେରାବିଶ ଭଳି ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଉପୁଜିବା ଆଶଙ୍କା ରହିଛି। ଏହାର ପ୍ରଭାବରେ ଶହ ଶହ ହେକ୍ଟର ଜମି ଜଳମଗ୍ନ ହୋଇଛି । ତଳ ମୁଣ୍ଡରେ ବି ସମାନ ସ୍ଥିତି ଉପୁଜିବାକୁ ଯାଉଛି ।
