ଶାରଦୀୟ ଦୁର୍ଗାପୂଜା, ରାବଣପୋଡ଼ି ଓ ଭସାଣଉତ୍ସବକୁ ଶାନ୍ତି, ଶୃଙ୍ଖଳା ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ପାଇଁ ଭୁବନେଶ୍ବର କମିଶନରେଟ ପୋଲିସ ପକ୍ଷରୁ ପୋଲିସ ସେବା ଭବନରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଶାନ୍ତିଶୃଙ୍ଖଳାର ସହ ପୂଜା ଓ ଭସାଣୀ କିଭଳି ହେବ, ସେନେଇ ଆଲୋଚନା କରାଯାଇଛି ।ପୂଜା ସମୟରେ ଭିଡ଼ ନିୟନ୍ତ୍ରଣ, ଲୋକଙ୍କ ସୁରକ୍ଷା ଏବଂ ଚୋରି-ଛିନ୍ତାଇ ରୋକିବା ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ବିଭିନ୍ନ ସ୍ଥାନରେ ସିସିଟିଭି ବ୍ୟବସ୍ଥାକୁ ଗୁରୁତ୍ୱ ଦେବା ନେଇ ଆଲୋଚନା ହୋଇଛି ।ଏହାସହ ମେଲୋଡି କାର୍ଯ୍ୟକ୍ରମର ସମୟସୀମା, ଡିଜେ ବ୍ୟବହାର, ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ଓ ପ୍ଲାଷ୍ଟିକର ସର୍ବନିମ୍ନ ବ୍ୟବହାର ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ସିଙ୍ଗିଲ୍ ୱିଣ୍ଡୋରେ ଲାଇସେନ୍ସ ବ୍ୟବସ୍ଥା, ପାନୀୟ ଜଳ, ଅଗ୍ନିଶମ ସୁବିଧା, ଭ୍ରାମ୍ୟମାଣ ଟଏଲେଟ୍ ଓ ନିର୍ମାଣାଧୀନ ରାସ୍ତାଘାଟ ଭଳି ପ୍ରସଙ୍ଗ ଉପରେ ମଧ୍ୟ ବ୍ୟାପକ ଆଲୋଚନା ହୋଇଛି ।
