ନାବାଳକ ପ୍ରେମିକର ହାଇଡ୍ରାମା। ପ୍ରେମ ପାଇଁ ପ୍ରାୟ ୧୦୦ ଫୁଟ ଉଚ୍ଚ ପଟାସ ଗଛର ଶୀର୍ଷରେ ଚଢିଗଲା ନାବାଳକ। ପ୍ରେମିକାକୁ ନଡାକିଲେ ଗଛ ଉପରେ ଗାମୁଛା ଲଗାଇ ଆତ୍ମହତ୍ୟା କରିବାକୁ ଦେଲା ଧମକ। ଆଜି ସକାଳୁ ସକାଳୁ ଏମିତି କିଛି ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ସହରରେ। ସୂଚନା ଅନୁସାରେ ସମ୍ବଲପୁର ରେଢ଼ାଖୋଲ ଅଞ୍ଚଳର ଜଣେ ନାବାଳକ କିଛି ଦିନ ତଳେ ନିଜ ପ୍ରେମିକା ସହ ଘରୁ ଫେରାର ହୋଇଯାଇଥିଲା।ରେଳବାଇ ପୁଲିସ ଉଭୟଙ୍କୁ ଉଦ୍ଧାର କରି ସିଡବ୍ଲୁସିରେ ହାଜର କରାଇଥିଲା। ସିଡବ୍ଲୁସି ପକ୍ଷରୁ ନାବାଳକକୁ ଅନୁଗୁଳ ଅମଲାପଡ଼ାରେ ଥିବା ଉତ୍କଳ ବାଳାଶ୍ରମରେ ରଖାଯାଇଥିଲା ଏବଂ ପ୍ରେମିକାକୁ ସଖୀ କାଉନସେଲିଂ ସେଣ୍ଟରରେ ରଖାଯାଇଥିଲା। ହେଲେ ଆଜି ଭୋରୁ ଭୋରୁ ନାବାଳକ ଜଣଙ୍କ ଉତ୍କଳ ବାଳାଶ୍ରମ ପରିସରରେ ଥିବା ପଟାସ ଗଛରେ ଚଢ଼ିଯାଇ ଦେଇଥିଲା ଧମକ। ପ୍ରେମିକାକୁ ଡାକିବାକୁ ଜିଦ୍ ଧରିଥିଲା। ଏପରିକି ପ୍ରେମିକାକୁ ନଡାକିଲେ ଗଛ ଉପରେ ଗାମୁଛା ଲଗାଇ ଆତ୍ମହତ୍ୟା କରିବ ବୋଲି ଧମକ ଦେଇଥିଲା। ପ୍ରାୟ ଦେଢ ଘଣ୍ଟା ଯାଏଁ ନାବାଳକ ଜଣଙ୍କ ସମସ୍ତଙ୍କୁ ନାକେଦମ୍ କରିଥିଲା। ଦମକଳ ବାହିନୀ, ପୁଲିସ୍ ଓ ଅନୁଗୁଳ ପୌରପାଳିକା ଟିମ୍ ପହଞ୍ଚି ପ୍ରେମିକାକୁ ଦେଖା କରାଇଦେବାକୁ କହି ବହୁ ବୁଝାସୁଝା କରାଇବା ପରେ ନାବାଳକ ତଳକୁ ଓହ୍ଲାଇଥିଲା।
