ଚାଉଳିଆଗଞ୍ଜ ଥାନାର ଆଇଆଇସି ବ୍ୟୁଟି ମହାନ୍ତିଙ୍କ ମୃତ୍ୟୁ ଘଟଣାର ତଦନ୍ତ ଦିନକୁ ଦିନ ଅଧିକ ଜୋରଦାର ହେଉଛି । ଏହି ମାମଲାରେ ଜଣେ ପୁଲିସ କର୍ମଚାରୀ ଏବେ ତଦନ୍ତ ପରିସରକୁ ଆସିଥିବା ସୂଚନା ମିଳିଛି । ସଂପୃକ୍ତ କର୍ମଚାରୀଙ୍କ ବ୍ୟବହୃତ ଦୁଇଟି ମୋବାଇଲ ଫୋନ ଜବତ କରାଯାଇଥିବା ବେଳେ, ସିସିଟିଭି ଫୁଟେଜ୍ ଓ କଲ୍ ଡିଟେଲ୍ ରେକର୍ଡ ଯାଞ୍ଚ ମଧ୍ୟ ଚାଲିଛି । ତେବେ ଆଜି ବିଉଟ ମହାନ୍ତିଙ୍କ ସ୍ୱାମୀ ଓ ପରିବାର ଲୋକଙ୍କ ବୟାନ ରେକର୍ଡ କରିଛି ଚାଉଳିଆଗଞ୍ଜ ଥାନା ପୁଲିସ । ତେବେ ମୃତ୍ୟୁ ପଛର ରହସ୍ୟ ବିଉଟିଙ୍କ ଫୋନ୍ରେ ଥିବା ଚର୍ଚ୍ଚା ହେଉଛି । ତେଣୁ ପୁଲିସ ପକ୍ଷରୁ ତାଙ୍କର ୨ଟି ଫୋନ୍ ଫରେନ୍ସିକ୍ ଯାଞ୍ଚ୍ ପାଇଁ ପଠାଯାଇଛି ।ଘଟଣାର ରହସ୍ୟ ଉନ୍ମୋଚନ ପାଇଁ ଚାଉଳିଆଗଞ୍ଜ ଓ ପାହାଳ ଥାନାର କିଛି ପୁଲିସ କର୍ମଚାରୀଙ୍କୁ ପଚରାଉଚରା କରାଯାଉଛି । ସେହିପରି ମୃତ୍ୟୁ ପୂର୍ବର ସିସିଟିଭି ଫୁଟେଜ୍ ଖତିଆନ କରାଯାଉଥିବାବେଳେ ଘଟଣା ସହ ଜଡ଼ିତ ପ୍ରତ୍ୟେକ ଦିଗକୁ ତଦନ୍ତକାରୀ ଟିମ୍ ଯାଞ୍ଚ କରୁଛି । ତେବେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି ବିବାଦ ନଥିବା ପରିବାର ଲୋକ କହିଛନ୍ତି । ଏପରିକି ପରିବାରରେ କୌଣସି ବଡ଼ ଅସୁବିଧା ନ ଥିଲା । ସ୍ୱାମୀ-ପୁଅ ଓ ଶାଶୂଙ୍କୁ ନେଇ ତାଙ୍କ ସଂସାର ପ୍ରାୟ ଠିକ୍ଠାକ୍ ଥିଲା । କେବଳ ବଡ଼ ଥାନା ଦାୟିତ୍ୱଠୁ ଦୂରରେ ରହିବା ପାଇଁ ସେ ଚାହୁଁଥିଲେ ବୋଲି ପରିବାର ଲୋକ କହିଥିଲେ । ବିଭାଗ ମଧ୍ୟରେ କାହା ସହିତ ଶତ୍ରୁତା ନଥିବା ବିଷୟ ପରିବାର କହିଛନ୍ତି ।ତଦନ୍ତର ଅନ୍ତିମ ରିପୋର୍ଟ ଆସିବା ପରେ ହିଁ ଘଟଣାର ସମ୍ପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହେବ ।
