ଭୁଲ୍ ବହି ଛପା ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ନବୀନ

ସ୍କୁଲ ପାଠ୍ୟପୁସ୍ତକରେ ହୋଇଥିବା ଅଗଣନୀୟ ତ୍ରୁଟିକୁ ନେଇ ରାଜ୍ୟ ରାଜନୀତି ସରଗରମ । ସୋସିଆଲ ମିଡିଆରେ ସରକାର ନାହିଁ ନଥିବାର ଟ୍ରୋଲ ହେଉଥିବା ବେଳେ ଗଣମାଧ୍ୟମ ବି ସରକାରଙ୍କୁ ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲିଛି । ଏହାରି ଭିତରେ ରାଜ୍ୟର ବିରୋଧୀ ଦଳ ବିଜେଡି ଆଜି ରାଜରାସ୍ତାକୁ ଓହ୍ଲାଇଛି । ବିଜେଡି ତରଫରୁ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ବାସଭବନ ଘେରାଉ କରାଯାଇଛି । ଦଳ ତରଫରୁ କର୍ମୀମାନେ ଏକ ବିଶାଳ ଶୋଭାଯାତ୍ରାରେ ଆସି ଗଣଶିକ୍ଷାମନ୍ତ୍ରୀଙ୍କ ସରକାରୀ ବାସଭବନ ସାମ୍ନାରେ ବିକ୍ଷୋଭ କରାଯାଇଛି । ବିଜୁ ଯୁବ ଜନତା ଦଳ ଓ ଛାତ୍ର ଜନତା ଦଳର ଶତାଧିକ କର୍ମୀ ଓ ନେତା ଏହି ପ୍ରତିବାଦରେ ସାମିଲ ହୋଇଛନ୍ତି । ଅନ୍ୟପଟେ ଭୁଲ୍ ବହି ଛପା ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ନବୀନ । କହିଲେ , ବହି ପ୍ରତି ଶିଶୁର ଅଗାଧ ବିଶ୍ୱାସ । ବିଦ୍ୟାଳୟର ପୁସ୍ତକ କେବଳ ଏକ ବହି ନୁହେଁ, ପ୍ରତ୍ୟେକ ଶିଶୁ ପାଇଁ ଏହା ସତ୍ୟ ଓ ତଥ୍ୟ ସହ ପରିଚିତ ହେବାର ପ୍ରଥମ ମାଧ୍ୟମ। ଶିଶୁଟିଏ ଅନେକ କଥାକୁ ପ୍ରଶ୍ନ କରିପାରେ, କିନ୍ତୁ ସ୍କୁଲ ପାଠ୍ୟପୁସ୍ତକରେ ଛପା ହୋଇଥିବା ଶବ୍ଦକୁ କେବେ ସନ୍ଦେହ କରେ ନାହିଁ।ପାଠ୍ୟପୁସ୍ତକ ପ୍ରତି ପିଲାମାନଙ୍କର ଅଗାଧ ବିଶ୍ୱାସ ଓ ଆସ୍ଥା ରହିଥାଏ। ସେହିପରି କହିଛନ୍ତି ଏହା ଭବିଷ୍ୟତର ମୂଳଦୁଆ ଉପରେ ଆଘାତ । କହିଛନ୍ତି ସରକାର ଭୁଲରେ ଭରା ପାଠ୍ୟପୁସ୍ତକ ଛାପିବା ଏବଂ ପରେ ସେଗୁଡ଼ିକୁ ପ୍ରତ୍ୟାହାର କରିବା ପ୍ରସଙ୍ଗରେ ବାରମ୍ବାର ନିଷ୍ପତ୍ତି ବଦଳାଉଛନ୍ତି।

ଏଭଳି ଦୋମୁହାଁ ନୀତି ଯୋଗୁଁ ପିଲାମାନଙ୍କ ଆସ୍ଥା ଓ ବିଶ୍ୱାସର ମୂଳଦୁଆ ଦୁର୍ବଳ ହେବାରେ ଲାଗିଛି । ଏହି ଭାଙ୍ଗିଯାଇଥିବା ବିଶ୍ୱାସର ଉତ୍ତରଦାୟୀ କିଏ ବୋଲ ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା । ସରକାର ହୁଏତ ପରବର୍ତ୍ତୀ ସଂସ୍କରଣରେ ପାଠ୍ୟପୁସ୍ତକର ତ୍ରୁଟି ସୁଧାରିପାରନ୍ତି । କିନ୍ତୁ ଆମ ଓଡ଼ିଆ ପିଲାମାନଙ୍କର ଏକ ସମ୍ପୂର୍ଣ୍ଣ ପୀଢ଼ିର ବିଶ୍ୱାସକୁ ଭାଙ୍ଗିଦେବାକୁ ହୋଇଥିବା ଉଦ୍ୟମ ପାଇଁ ଉତ୍ତରଦାୟୀ କିଏ ହେବ ?

ଅଧିକ ପଢନ୍ତୁ