
ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ପଠାଣି ସାମନ୍ତ ଅଡିଟୋରିୟମର ଭରପୂର ପ୍ରେକ୍ଷାଳୟରେ ମଇ ସତର ସନ୍ଧ୍ୟାରେ ନାଟ୍ୟପ୍ରେମୀ ଦର୍ଶକ ମାନଙ୍କୁ ଆରମ୍ଭରୁ ଶେଷ ଯାଏଁ ବାନ୍ଧି ରଖି ପାରିଥିଲା ଅଭ୍ଭୂତପୂର୍ବ ଉତ୍କଣ୍ଠାମୟ ମଞ୍ଚମାୟାରେ ! କମ୍ରେଡ୍ ବିଶ୍ଵନାଥ ମହାପାତ୍ରଙ୍କ ବଳିଷ୍ଠ କାହାଣୀକୁ ନେଇ ନାଟ୍ୟରୂପ ଦେବା ସହିତ ନିର୍ଦ୍ଦେଶନା ଦେଇଥିଲେ ବରିଷ୍ଠ ନାଟ୍ୟକାର ଗଦାଧର ନନ୍ଦ ! ବରିଷ୍ଠ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ନାଟକ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶୀଷ ପଟ୍ଟନାୟକ। ଅନୁଷ୍ଠାନର ସଂପାଦକ ବିଶ୍ଵନାଥ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଉଦ୍ଘାଟନ ପର୍ବରେ ନୟାଗଡ଼ର ଖ୍ୟାତନାମା ନାଟ୍ୟ ନିର୍ଦ୍ଦେଶକ ଭଗବତୀ ଚରଣ ପଟ୍ଟନାୟକ, ନାଟ୍ୟଭୂଷଣ ଡ. ବିଜୟ କୁମାର ଚୌଧୁରୀ ଓ ପବିତ୍ର କୁମାର ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ! ସାଂପ୍ରତିକ କାଳରେ ଘଟୁଥିବା କର୍ପୋରେଟ୍ ପୁଞ୍ଜିର ଆଗ୍ରାସୀ ପ୍ରଭାବ, ରାଷ୍ଟ୍ର ବ୍ୟବସ୍ଥାର ସାଲିସବାଦୀ ନମନୀୟ ମନୋଭାବ ଓ ତନ୍ମଧ୍ୟରେ ବଞ୍ଚିତ ବର୍ଗର ଶ୍ରେଣୀକ୍ରୋଧ ନିଆଁ କୁ ଆଧାର କରି ଗଢ଼ି ଉଠିଥିବା ଏଇ ମନଛୁଆଁ କାହାଣୀ ବେଶ୍ ଉତ୍କଣ୍ଠା ଉଦ୍ଦୀପକ ଥିଲା ! ନାଟକରେ ନୀଳିମା, ଶାବରୀ, ପାୟଲ, ଦେବେନ୍ଦ୍ର, ପ୍ରଦୀପ୍ତ, ଗୋଦାବରୀ, ଅନ୍ତର୍ଯ୍ୟାମୀ, ସଂଜୟ, ସୁଦର୍ଶନ, ନିରଞ୍ଜନ, ବିଜୟାନନ୍ଦ,ପ୍ରତାପ,ନିର ସାହୁ, ପ୍ରଦୀପ ସାର୍, ମିଷ୍ଟର କାଳିଆ,ରବି, ବିଭୁତି, ପାଣ୍ଡବ ପ୍ରଭୃତି ଙ୍କ ଅଭିନୟ ଯାଦୁ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ! ବାସୁଦେବ ମିଶ୍ର, କ. ଶରତଚନ୍ଦ୍ର ବେହେରା, ଡ.ଗୀତାଞ୍ଜଳୀ ମହାପାତ୍ରଙ୍କ ତତ୍ତ୍ଵାବଧାନରେ ରଞ୍ଜନରଶ୍ମି ଜେନା, ଖାଲିକ୍ ସାର୍, ପ୍ରଧାନୀ ସାର୍, କାମାକ୍ଷାପ୍ରସାଦଙ୍କ ଉଦ୍ୟମଶୀଳତାରେ ମଞ୍ଚସ୍ଥ ହୋଇଥିବା ଏହି ନାଟକର ସଙ୍ଗୀତ ପରିଚାଳନା କରିଥିଲେ ଶକ୍ତି ପ୍ରସାଦ ମିଶ୍ର, ଆଲୋକ ଓ ଶବ୍ଦରେ ବିପି ଆଉ ସାଗର, ରୂପସଜାରେ ଭବାନୀ ଚିତ୍ରାଳୟ ଓ ଶିଳ୍ପୀ କୁଟୀର ନାଟକକୁ ଉପଭୋଗ୍ୟ କରିଥିଲେ !
