
ନୟାଗଡ଼, (ଓଡ଼ିଶା ଦର୍ପଣ):ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ ସଭାକକ୍ଷରେ କଳା, ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ତଥାସ୍ତୁ ଓ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟର ଓଡ଼ିଆ ଭାଷା, ସାହିତ୍ୟ ବିଭାଗର ମିଳିତ ଆନୁକୂଲ୍ୟରେ ଉଦ୍ଘାଟିତ ହୋଇଯାଇଛି ଶିକ୍ଷାନବିଶ କାର୍ଯ୍ୟକ୍ରମ। ଓଡ଼ିଆ ଭାଷାରେ ସୃଜନ ଓ ବ୍ୟାକରଣ ଦକ୍ଷତା ଅଭିବୃଦ୍ଧି ପ୍ରଶିକ୍ଷଣ ଆଧାରିତ ଏହି ଶିକ୍ଷାନବିଶ କାର୍ଯ୍ୟକ୍ରମ କୁ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସ୍ମିତାରାଣୀ ରାଉତରାୟ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦ୍ଘାଟନ କରିଥିଲେ। ବିଭାଗୀୟ ମୁଖ୍ୟ ବିକେଶ କୁମାର ସାହୁ କାର୍ଯ୍ୟକ୍ରମ ର ସଂଯୋଜନା କରିଥିବା ବେଳେ ଅତିଥି ଭାବେ ଇଂରାଜୀ ବିଭାଗର ବିଭାଗୀୟ ମୁଖ୍ୟ କୃଷ୍ଣାକୁମାରୀ ଦାସ , ବିଶିଷ୍ଟ ସାହିତ୍ୟିକା ବସିରନ ବିବି ଓ ତଥାସ୍ତୁର ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ ଯୋଗଦେଇଥିଲେ। ଶିକ୍ଷାନିବିଶ କାର୍ଯ୍ୟକ୍ରମ ବିଦ୍ୟାର୍ଥୀମାନଙ୍କ ପାଇଁ କେବଳ ପ୍ରଶିକ୍ଷଣ ମାତ୍ର ନୁହେଁ ବରଂ ଜୀବନର ପ୍ରାୟୋଗିକ ଶିକ୍ଷାର ଏକ ଦୃଢ ସ୍ଥିତି।ଏଥିରେ ଛାତ୍ରଛାତ୍ରୀମାନେ ପୁସ୍ତକୀୟ ଜ୍ଞାନ ସହ ବାସ୍ତବ ଜୀବନରେ ଶିକ୍ଷାର ପ୍ରୟୋଗ ଉପରେ ଜ୍ଞାନ ପ୍ରାପ୍ତ କରିଥାନ୍ତି। ଭାଷା, ସାହିତ୍ୟ ଦୃଷ୍ଟିକୋଣରୁ ଏହି କାର୍ଯ୍ୟକ୍ରମ ବିଦ୍ୟାର୍ଥୀମାନଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ କାରଣ ଏହା ସେମାନଙ୍କ ମାତୃଭାଷା ସହ ନିବିଡତା ସୃଷ୍ଟି କରି ସେମାନଙ୍କ ସୃଜନଶୀଳତାକୁ ଉନ୍ନତ କରେ ବୋଲି ଆଲୋଚକମାନେ ମତପ୍ରକାଶ କରିଥିଲେ। ଚାରିଦିନ ଧରି ଅନୁଷ୍ଠିତ ହେବାକୁଥିବା ଏହି ଶିକ୍ଷାନବିଶ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ୩୦ ଜଣ ଛାତ୍ରୀ ଅଂଶଗ୍ରହଣ କରିଥିଲେ । ଉଦଘାଟନ ସମାରୋହରେ ମାତୃଭାଷାର ମହତ୍ତ୍ୱ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଅଧ୍ୟାପିକା ମୋନାଲିସା ଦଳବେହେରା, ଅଧ୍ୟାପିକା ରଶ୍ମିତା ଭୂଜବଳ ଓ ଅଧ୍ୟାପକ ବନମାଳୀ ବେହେରା ଆଲୋଚନାଚକ୍ରକୁ ସଂଯୋଜନା କରିଥିଲେ। ସାହିତ୍ୟିକ ସୁଶାନ୍ତ ସାହୁ , ମଣିମାଳା ପାଣିଗ୍ରାହୀ ଓ ମମତା ମଂଜରୀ ଦେବୀଙ୍କ ତତ୍ୱାବଧାନରେ ଛାତ୍ରୀମାନଙ୍କ ମଧ୍ୟରେ ଚିତ୍ର-କବିତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ତଥାସ୍ତୁର ବରିଷ୍ଠ ସଦସ୍ୟ ସୁଦର୍ଶନ ସାହୁ ଏବଂ ଗୋପୀନାଥ ସେଠୀ ଆସନ୍ତା ୩ ଦିନର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଛାତ୍ରୀମାନଙ୍କୁ ଅବଗତ କରାଇଥିବା ବେଳେ ତଥାସ୍ତୁର ନିର୍ଦ୍ଦେଶିକା ସସ୍ମିତା ଆଚାର୍ଯ୍ୟ ଧନ୍ୟବାଦ ପ୍ରଦାନ କରିଥିଲେ ।
