ନୂଆ ଫିଚର ଆସିବା ପୂର୍ବରୁ ହ୍ବାଟ୍ସଆପ୍କୁ ବଡ଼ ଝଟ୍କା । ନୂଆ ଫିଚର ଲଞ୍ଚ୍ ନକରିବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ । ୩ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ମେଟାକୁ ନିର୍ଦ୍ଦେଶ ଦେଇଛି ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ । ଏହି ସେବା ଅଧୀନରେ ସାଇବର ଅପରାଧୀମାନେ ପରିଚୟ ଲୁଚାଇ ଲୋକମାନଙ୍କୁ ଠକିବାର ଆଶଙ୍କା ଥିବାରୁ ସରକାର ଏଭଳି କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି ।। ତେବେ ହ୍ୱାଟସଆପର ନୂତନ ୟୁଜରନେମ୍ ଫିଚରକୁ ନେଇ ବିବାଦ ଦେଖାଯାଇଥିବା ବେଳେ ମେଟା ସ୍ପଷ୍ଟୀକରଣ ଦେଇଛି । କମ୍ପାନୀ କହିଛି ଯେ ସରକାରଙ୍କ ଦ୍ୱାରା ଉଠାଯାଇଥିବା ଆଶଙ୍କାକୁ ଦୂର କରିବା ପାଇଁ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ପୂର୍ବରୁ ଗ୍ରହଣ କରାଯାଇଛି। ମେଟା ଦାବି କରିଛି ଯେ ୟୁଜରନେମ୍ ଫିଚରରେ ପରିଚୟ ଚୋରି ଏବଂ ଅନଲାଇନ୍ ଠକେଇକୁ ପ୍ରଭାବଶାଳୀ ଭାବରେ ରୋକିବା ପାଇଁ ଡିଜାଇନ୍ କରାଯାଇଥିବା ଅନେକ ବ୍ୟବସ୍ଥା ଅନ୍ତର୍ଭୁକ୍ତ କରାଯାଇଛି।ରିପୋର୍ଟ ଅନୁଯାୟୀ, ଜଣେ WhatsApp ମୁଖପାତ୍ର କହିଛନ୍ତି ଯେ ସାଧାରଣ ବ୍ୟକ୍ତି, ସରକାରୀ ପ୍ରତିଷ୍ଠାନ ଏବଂ ସେଲିବ୍ରିଟିଙ୍କ ନାମ ସଂରକ୍ଷିତ ରଖାଯାଇଛି ଯାହା ଦ୍ୱାରା କେବଳ ସେମାନଙ୍କର ବୈଧ ମାଲିକମାନେ ସେଗୁଡ଼ିକୁ ବ୍ୟବହାର କରିପାରିବେ। ଏହା ବ୍ୟତୀତ, ଏହି ନାମଗୁଡ଼ିକ ସଦୃଶ ୟୁଜରନେମ୍ ମଧ୍ୟ ସଂରକ୍ଷିତ ରଖାଯାଇଛି ଯାହା ଦ୍ୱାରା କେହି ନକଲି ଆକାଉଣ୍ଟ ତିଆରି କରି ଲୋକଙ୍କୁ ଭ୍ରମିତ କରିପାରିବେ ନାହିଁ।
