ରୁଷିଆ ଓ ଇରାନ ବିରୋଧରେ ନୂଆ ପ୍ରତିବନ୍ଧକ ବ୍ୟବସ୍ଥା ସମ୍ପର୍କିତ ଆମେରିକୀୟ ଆଇନକୁ ନେଇ ଭାରତ ସତର୍କ ନଜର ରଖିଛି। ଆମେରିକା କଂଗ୍ରେସରେ ଋଷ ବିରୋଧୀ ବିଲ୍ ପାସ୍ ହୋଇଛି । ହାଉସ୍ ଅଫ୍ ରିପ୍ରେଜେଣ୍ଟିଭସରେ ଏହାକୁ ପାରିତ କରାଯାଇଛି । ବିଲ୍ ସପକ୍ଷରେ୨୬୦ରୁ ଅଧିକ ଭୋଟ୍ ପଡିଥିଲା । ତେବେ ଏହି ବିଲ୍ ଦ୍ୱାରା ଋଷଠାରୁ ତେଲ ଏବଂ ଗ୍ୟାସ୍ କିଣୁଥିବା ଦେଶ ଉପରେ୧୦୦ପ୍ରତିଶତ ଟାରିଫ୍ ଲଗାଯାଇ ପାରିବ । ଯାହା ଭାରତ ଏବଂ ଚୀନର ସମସ୍ୟା ବଢାଇବ । ତେବେ ଆମେରିକା କଂଗ୍ରେସରେ ବିଲ୍ ପାସ୍ ହେଲା ପରେ ଭାରତ ପ୍ରତିକ୍ରିୟା ରଖିଛି । ବିଦେଶ ମନ୍ତ୍ରଣାଳୟ କହିଛି ଯେ, ଦେଶର ୧୪୦ କୋଟିରୁ ଅଧିକ ଲୋକଙ୍କ ଶକ୍ତି ଆବଶ୍ୟକତା ପୂରଣ କରିବା ଭାରତର ପ୍ରାଥମିକତା। ଭାରତ ନିଜ ଶକ୍ତି ସୁରକ୍ଷା ପାଇଁ ବିଭିନ୍ନ ଦେଶରୁ ତେଲ ଓ ଗ୍ୟାସ କିଣିବା ଜାରି ରଖିବ। ବଜାରର ପରିବର୍ତ୍ତିତ ପରିସ୍ଥିତି ଓ ଦେଶର ହିତକୁ ଦୃଷ୍ଟିରେ ରଖି ଆଗାମୀ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରଣାଳୟ କହିଛି।
ଭାରତ ପକ୍ଷରୁ କୁହାଯାଇଛି ଯେ, ଏହି ପ୍ରସଙ୍ଗରେ ଗତ କିଛି ମାସ ଧରି ଆମେରିକୀୟ ଅଧିକାରୀଙ୍କ ସହ ଉଚ୍ଚସ୍ତରୀୟ ଆଲୋଚନା ହୋଇଛି। ଭାରତ ଆମେରିକାକୁ ଏହା ମଧ୍ୟ ଜଣାଇଛି ଯେ, ରୁଷିଆରୁ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ ଅତିରିକ୍ତ ଶୁଳ୍କ ଲଗାଇବାର ପ୍ରଭାବ କେବଳ ଭାରତ-ଆମେରିକା ସମ୍ପର୍କରେ ସୀମିତ ରହିବ ନାହିଁ; ଏହାର ପ୍ରଭାବ ବିଶ୍ୱ ଶକ୍ତି ବଜାର ଉପରେ ମଧ୍ୟ ପଡ଼ିପାରେ।ଆହୁରି ମଧ୍ୟ ଭାରତ ସ୍ପଷ୍ଟ କରିଛି ଯେ, ଦେଶ ନିଜର ବାଣିଜ୍ୟ ଏବଂ ସ୍ୱାର୍ଥକୁ ରକ୍ଷା କରିବା ପାଇଁ ଯାହାଆବଶ୍ୟକ ସେନେଇ ପଦକ୍ଷେପ ନେବ । ସରକାର ସମସ୍ତଙ୍କ ସହ ମିଳିମିଶି କାମ କରିବେ ଯାହା ଦ୍ୱାରା ଆମେରିକାର ଆଇନକୁ ପ୍ରଭାବହୀନ କରାଯାଇ ପାରିବ ବୋଲି ସରକାର କହିଛନ୍ତି ।
