ଲୋକପ୍ରିୟ ସିରିଅର କୁମକୁମ୍ ଭାଗ୍ୟ ଫେମ୍ ସଂଚିତା ଉଗଲେଙ୍କ ଆତ୍ମହତ୍ୟା ପରେ କଳାକାରଙ୍କ ମାନସିକ ସ୍ଥିତିକୁ ନେଇ ଚର୍ଚ୍ଚା ଜୋର ଧରିଛି । ପୁଲିସ ସଂଚିତାଙ୍କ ମୋବାଇଲ ଫୋନ୍ର ହ୍ୱାଟ୍ସଆପ୍ ଚାଟ୍ ଓ କଲ୍ ରେକର୍ଡ ଯାଞ୍ଚ କରୁଛି । ସଂଚିତା ଓ ଅନେକ ମନସ୍ତତ୍ତ୍ୱବିତ୍ଙ୍କ ମଧ୍ୟରେ ହ୍ୱାଟ୍ସଆପ୍ ଆଲୋଚନା ସାମ୍ନାକୁ ଆସିଛି । ଏଥିରୁ ଜଣାପଡୁଛି, ସଂଚିତା ନିଜ ଭବିଷ୍ୟତକୁ ନେଇ ଖୁବ୍ ଭୟଭୀତ ଥିଲେ । ଗତ କିଛି ମାସ ହେଲା ଜଣେ ମନୋଚିକିତ୍ସକଙ୍କ ପାଖରେ ସେ ଚିକିତ୍ସା କରାଉଥିଲେ ।ଏବେ ସଂଚିତାଙ୍କ ସାଙ୍ଗ ଗୀତାଞ୍ଜଳି ଏକ ଗଣମାଧ୍ୟମକୁ କହିଛନ୍ତି, ଗତ ୬ ମାସ ହେଲା ସେ ଆତ୍ମହତ୍ୟା କଥା କହୁଥିଲେ । ଯଦି ଜଣେ ଦୀର୍ଘ ମାସ ଧରି କହୁଛି ଯେ ଆତ୍ମହତ୍ୟା ଦ୍ୱାରା ତା’ର ମୃତ୍ୟୁ ହେବ, ତେବେ ଏହା ହଠାତ୍ ନୁହେଁ । ସଂଚିତା ଦୀର୍ଘ ଦିନ ଧରି ଅବସାଦରେ ଥିଲେ । ବଞ୍ଚିବାକୁ ଚାହୁଁନାହାନ୍ତି ବୋଲି କହୁଥିଲେ । ମୋ ହିସାବରେ ଏହା ଗତ ଜାନୁଆରୀରୁ ଆରମ୍ଭ ହୋଇଥିଲା । ସେ ୫-୫ ଦିନ ଧରି ଶୋଉନଥିଲେ । ସହ-କଳାକାର ମେଘା ଶର୍ମା ମଧ୍ୟ ସଂଚିତା ଅବସାଦରେ ଥିବା ଓ ତାଙ୍କର ଚିକିତ୍ସା ଚାଲିଥିବା କଥା କହିଛନ୍ତି ।ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ସଂଚିତାଙ୍କ ଔପଚାରିକ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରୁ ଏକ ରିଲ୍ ପୋଷ୍ଟ ହୋଇଥିଲା । ଭିଡିଓରେ ସେ ‘ଡଫଲି ୱାଲେ, ଡଫଲି ବଜା’ ଗୀତରେ ଭାବଭଙ୍ଗୀ ପ୍ରଦର୍ଶନ କରୁଥିଲେ । ଭିଡିଓର କାପ୍ସନ ଲେଖିଥିଲେ ‘ମେଁ ନାଚୁଁ, ତୁ ନଚା ।’ ସୋସିଆଲ ମିଡିଆରେ ସଂଚିତା ଖୁବ୍ ସକ୍ରିୟ ଥିଲେ ଏବଂ ଲଗାତାର ପୋଷ୍ଟ ଶେୟାର କରୁଥିଲେ । ଇନ୍ଷ୍ଟାଗ୍ରାମରେ ତାଙ୍କର ୧.୩୯ ଲକ୍ଷ ଫଲୋଅର୍ ଅଛନ୍ତି ।ତେବେ ଅଭିନେତ୍ରୀ ଜଣକ କାହିଁକି ଜୀବନ ହାରିଛନ୍ତି, ତାହା ଏଯାଏଁ ଜଣାପଡିନାହିଁ । ପୋଲିସ ଘଟଣାର ତଦନ୍ତ କରୁଛି । ଘର ଲୋକ ଏବଂ ପଡୋଶୀଙ୍କୁ ପଚରାଉଚରା କରୁଛି ।
ସଂଚିତା କେବଳ ଟିଭି ନୁହେଁ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ସେ ଫିଲ୍ମ ଦିଲୱାଲେ ଦୁଲହନିଆ ଲେଁ ଜାଏଙ୍ଗେରେ ସୁକୁନ ଭୂମିକାରେ ନଜର ଆସିଥିଲେ । ଏହାପରେ ଫିଲ୍ମ ଛାବାରେ ତାରାବାଇ ଭୂମିକାରେ ନଜର ଆସିଥିଲେ । କୁମକୁମ ଭାଗ୍ୟ ଏବଂ ବଗଲେ କି ଦୁନିଆରେ ମଧ୍ୟ ଅଭିନୟ କରିଛନ୍ତି ।
