
ନୟାଗଡ଼,(ଓଡ଼ିଶା ଦର୍ପଣ): ‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତାର ଫାଇନାଲ ଚଳିତ ମାସ ୨୦ ତାରିଖରେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ସ୍ବର୍ଣ୍ଣ ଜୟନ୍ତୀ ସଭା ଗୃହରେ ଅନୁଷ୍ଠିତ ହେବ। ଇତି ମଧ୍ୟରେ ଜିଲ୍ଲାର ସମସ୍ତ ୮ଟି ବ୍ଲକରେ ବ୍ଲକ ପର୍ଯ୍ୟାୟ ସଙ୍ଗୀତ ପ୍ରତିଯୋଗିତା ଶେଷ ହୋଇଯାଇଛି। ଏହି ପ୍ରତିଯୋଗୀ ମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୫୧ ଜଣ ପ୍ରତିଯୋଗୀ ଆସନ୍ତା ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଉଭୟ ସେମି ଫାଇନାଲ ଏବଂ ଫାଇନାଲ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ। ଏ ନେଇ ସଙ୍ଗୀତଧାରା ପକ୍ଷରୁ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ବିଧିବଦ୍ଧ ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ଅନୁଯାୟୀ ସେମିଫାଇନାଲ ରାଉଣ୍ଡରେ ବ୍ଲକ ପର୍ଯ୍ୟାୟରୁ ମନୋନୀତ ୫୧ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିବେ ଏବଂ ସେମିଫାଇନାଲ ରାଉଣ୍ଡରୁ ଶ୍ରେଷ୍ଠ ୧୦ ଜଣ ପ୍ରତିଯୋଗୀ ଫାଇନାଲ ରାଉଣ୍ଡକୁ ଉତ୍ତୀର୍ଣ୍ଣ ହୋଇ ଭକ୍ତି ସଙ୍ଗୀତ ପରିବେଷଣ କରିବେ। ସର୍ବଶେଷରେ ଫାଇନାଲ ରାଉଣ୍ଡର ସର୍ବଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ‘ନୟାଗଡ଼ ସଙ୍ଗୀତ କଲ୍ଲୋଳ’ ଉପାଧି ସହିତ ନଗଦ ୧୧ ହଜାର ଟଙ୍କା ଅର୍ଥ ରାଶି, ବିଜୟୀ ଟ୍ରଫି ସହିତ ପ୍ରମାଣପତ୍ର ପ୍ରଦାନ କରାଯିବ। ସେହିପରି ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନଙ୍କୁ ଯଥାକ୍ରମେ ୫ ହଜାର ଏବଂ ୩ ହଜାର ଟଙ୍କା ଅର୍ଥ ରାଶି ସହିତ ଟ୍ରଫି ଏବଂ ପ୍ରମାଣପତ୍ର ପ୍ରଦାନ କରାଯିବ। ଏହା ସହିତ ଉଭୟ ସେମିଫାଇନାଲ ଏବଂ ଫାଇନାଲରେ ଅଂଶ ଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବ ବୋଲି ପ୍ରସ୍ତୁତି ବୈଠକରେ ସୂଚନା ଦିଆଯାଇଛି। ସଙ୍ଗୀତଧାରା ସଭାପତି ଡ.ବିଜୟ କୁମାର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ମୁଖ୍ୟ ପୃଷ୍ଠ ପୋଷକ ପ୍ରମୋଦ ପଟ୍ଟନାୟକ, ସମ୍ପାଦକ ପ୍ରଶାନ୍ତ କୁମାର ଦାଶଙ୍କ ସମେତ କଣ୍ଠଶିଳ୍ପୀ ନବକିଶୋର ମିଶ୍ର, ପ୍ରଶାନ୍ତ ପଟ୍ଟନାୟକ, ପ୍ରଦୀପ କୁମାର ସାହୁ, ପ୍ରଫୁଲ୍ଲ କୁମାର ନାୟକ, ପ୍ରଦୀପ୍ତ କୁମାର ଡାକୁଆ, ଅଶୋକ ମଲ୍ଲ ଏବଂ ସଂଯୋଜକ ଲକ୍ଷ୍ମୀଧର ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
