ରାୟଗଡ଼ା ତା ୨୧/୦୫ (ନିପ୍ର) ପୁଣି ଆଉ ଜଣେ ଯନ୍ତ୍ରୀ ଭିଜିଲାନ୍ସ ଜାଲରେ । ଆୟର୍ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଭିଜିଲାନ୍ସ ସ୍କାନରରେ କୋଲନରା ବ୍ଲକ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ସହକାରୀ ଯନ୍ତ୍ରୀ ମଳୟ କୁମାର ନାୟକ। ଆୟର୍ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋଲନରା ବ୍ଲକ୍ ରେ ଥିବା ତାଙ୍କର ସରକାରୀ ଅଫିସ, ରାୟଗଡ଼ା ରୋହିତ କଲୋନୀ ଭଡ଼ା ଘର ସମେତ ବ୍ରହ୍ମପୁରର 6ଟି ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରିଛି ବ୍ରହ୍ମପୁର ଭିଜିଲାନ୍ସର 5ଜଣିଆ ଟିମ୍। ଉକ୍ତ ଟିମରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗର ଡିଏସପି ବୈଦେହୀ କୁମାରୀ ବେହେରା, ଇନସ୍ପେକ୍ଟର ଦୀପ୍ତି ରଞ୍ଜନ ଓଝା, ଏ ଏସ ଆଇ ଦୁର୍ଗା ପ୍ରସାଦ ହୋତା, କନଷ୍ଟେବଳ ସଂଯୁକ୍ତା ପଟ୍ଟନାୟକ, ଓ ଲକ୍ଷ୍ମିପତି ବେହେରା ଏହି ଟିମ୍ ରେ ରହିଥିବା ବେଳେ ଆଜି ଦିନ ୧୧ଟା ସମୟରୁ ଏହି ଚଢାଉ ରାୟଗଡ଼ା ରେ ହୋଇଥିବା ସୂଚନା ମିଳିଛି। ତାଙ୍କ ଘରୁ ସୁନା ଗହଣା, ସହ ବିଭିନ୍ନ ଦସ୍ତାବିଜ ର ଯାଞ୍ଚ ଚାଲିଥିବା ବେଳେ ସମସ୍ତ ସୂଚନା ଯାଞ୍ଚ ସର୍ବ ପରେ ଦିଆଯିବ ବୋଲି ଭିଜିଲାନ୍ସ ତରଫରୁ ସୂଚନା ଦିଆଯାଇଛି।
