ନୂଆଦିଲ୍ଲୀରେ ଶୁକ୍ରବାର ଇଣ୍ଡିଆନ ରେଳବାଇର ବରିଷ୍ଠ ଅଧିକାରୀମାନଙ୍କ ସହ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳବାଇ ନିଯୁକ୍ତି ବୋର୍ଡ (RRB) ର ନିଯୁକ୍ତି ପ୍ରକ୍ରିୟାକୁ ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। ରେଳମନ୍ତ୍ରୀ ନିଯୁକ୍ତି ପ୍ରକ୍ରିୟାକୁ ସ୍ୱଚ୍ଛ, ସଠିକ କରିବା ଏବଂ ପ୍ରଯୁକ୍ତିବିଦ୍ୟା (ଟେକ୍ନୋଲୋଜି) ଆଧାରିତ ବ୍ୟବସ୍ଥା ଲାଗୁ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ରେଲୱେର ସମସ୍ତ ବିଭାଗୀୟ ପରୀକ୍ଷା କମ୍ପ୍ୟୁଟର-ଆଧାରିତ ହେବ। ଟାବଲେଟ୍-ଆଧାରିତ ପରୀକ୍ଷାକୁ ବିସ୍ତାର କରିବ ରେଲୱେ। ୨୦୨୫-୨୬ରେ ୪୩ ହଜାର ୭୮୧ ଜଣଙ୍କୁ ନିଯୁକ୍ତି ଦେଇଛି ରେଲୱେ। ସେଥିମଧ୍ୟରୁ ୧୮୭୯୯ ସହାୟକ ଲୋକୋ ପାଇଲଟ୍,୧୪୨୯୮ ଟେକ୍ନିସିଆନ୍ ଅଛନ୍ତି।ରେଳବାଇ ଅନୁଯାୟୀ, ରେଳବାଇ ନିଯୁକ୍ତି ବୋର୍ଡର ନିଯୁକ୍ତି ପ୍ରକ୍ରିୟା ବେଶ ଜଟିଳ ଏବଂ ବ୍ୟାପକ ସ୍ତରରେ ହୋଇଥାଏ, ଯେଉଁଥିରେ ସାରା ଦେଶର ଅନେକ ସହର ଏବଂ କେନ୍ଦ୍ରରେ ପରୀକ୍ଷା ଆୟୋଜନ କରାଯାଏ। ଏହି କମ୍ପ୍ୟୁଟର ଆଧାରିତ ପରୀକ୍ଷାଗୁଡ଼ିକ ବିଭିନ୍ନ ଭାଷାଭାଷୀ ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ଅନେକ ସିଫ୍ଟରେ ୧୫ଟି ଭାଷାରେ ଆୟୋଜନ କରାଯାଇଥାଏ। ଏହି ମଲ୍ଟି-ସିଟି, ମଲ୍ଟି-ସିଫ୍ଟ ଏବଂ ମଲ୍ଟି-ଲିଙ୍ଗୁଆଲ ସିଷ୍ଟମରେ ସମ୍ପୂର୍ଣ୍ଣ ନିଯୁକ୍ତି ପ୍ରକ୍ରିୟା ମଧ୍ୟରେ ନିରପେକ୍ଷତା, ମାନକୀକରଣ ଏବଂ ସୱଚ୍ଛତା ବଜାୟ ରଖିବା ପାଇଁ ବଡ଼ ଆକାରରେ ସମନୱୟ ଏବଂ ମଜବୁତ ଟେକ୍ନୋଲୋଜି ବ୍ୟବସ୍ଥାର ଆବଶ୍ୟକତା ରହିଛି।
