ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ଓଡ଼ିଶା ଏବେ ନୂଆ ପରିଚୟ ସୃଷ୍ଟି କରୁଛି । ନୂଆଦିଲ୍ଲୀରେ ଆୟୋଜିତ ୭ମ ସିଆଇଆଇ ଅନ୍ତର୍ଜାତୀୟ ଶକ୍ତି ସମ୍ମିଳନୀରେ ଉପ-ମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓଡ଼ିଶାର ସବୁଜ ଶକ୍ତି ରୋଡ୍ ମ୍ୟାପ୍ ଉପସ୍ଥାପନ କରିଛନ୍ତି । ୨୦୩୦ ସୁଦ୍ଧା ୧୧ ଗିଗାୱାଟ୍ ସ୍ୱଚ୍ଛ ଶକ୍ତି ଉତ୍ପାଦନ ଓ ଗ୍ରୀନ୍ ହାଇଡ୍ରୋଜେନ୍ ହବ୍ ହେବାର ଲକ୍ଷ୍ୟ ଉପରେ ଜୋର୍ ଦିଆଯାଇଛି ।ସୌର, ପବନ ଓ ଜଳ ବିଦ୍ୟୁତ୍ ପ୍ରକଳ୍ପ ପାଇଁ ୬୭ ହଜାର କୋଟି ଟଙ୍କାରୁ ଅଧିକ ନିବେଶ ପ୍ରସ୍ତାବ ଅନୁମୋଦିତ ହୋଇଥିବା ବେଳେ, ବିଦ୍ୟୁତ୍ ଗ୍ରିଡ୍ର ଆଧୁନିକୀକରଣ ଓ AI ପ୍ରଯୁକ୍ତିର ବ୍ୟବହାର ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ୫୭୫ କିଲୋମିଟର ଉପକୂଳ ଓ ବନ୍ଦର ସୁବିଧାକୁ ବ୍ୟବହାର କରି ଓଡ଼ିଶାକୁ ଦକ୍ଷିଣ-ପୂର୍ବ ଏସିଆର ଏକ ପ୍ରମୁଖ ଗ୍ରୀନ୍ ହାଇଡ୍ରୋଜେନ୍ ହବ୍ ଭାବେ ଗଢ଼ି ତୋଳିବାର ଯୋଜନା ରହିଛି ।
