ପୋଲ ନଥିବାରୁ ବିପଦପୁଣ୍ଣ ଭାବେ ଭରା ନାଳ ପାର ହେଉଛନ୍ତି ଗ୍ରାମବାସୀ ।ଅଘଟଣକୁ ଅପେକ୍ଷା କରିଛି ପ୍ରଶାସନ।

ରାୟଗଡ଼ା ତା ୨୩/୦୮ (ନିପ୍ର) ପୋଲ ନଥିବାରୁ ବିପଦପୁଣ୍ଣ ଭାବେ ଭରା ନାଳ ପାର ହେଉଛନ୍ତି ଗ୍ରାମବାସୀ। ଅଘଟଣକୁ ଅପେକ୍ଷା କରିଛି ପ୍ରଶାସନ। ଲଗାଣ ବର୍ଷାରେ ଭରିଛି ନାଳ। ଆଉ ସେହି ଭରା ନାଳ ହିଁ ଏବେ ପଞ୍ଚୁପାଣ୍ଡବ ଗ୍ରାମବାସୀଙ୍କ ଯାତାୟାତର ଏକମାତ୍ର ଭରସା। ପ୍ରବଳ ଜଳସ୍ରୋତ ମଧ୍ୟରେ ମହିଳା, ଶିଶୁ, ବୃଦ୍ଧଙ୍କଠାରୁ ଆରମ୍ଭ କରି ଯୁବକମାନେ ମଧ୍ୟ ବିପଦସଂକୁଳ ଭାବେ ନାଳ ପାର ହେଉଛନ୍ତି। ବାରମ୍ବାର ଦାବି ସତ୍ତ୍ୱେ ନାଳ ଉପରେ ପୋଲ ନିର୍ମାଣ ହୋଇନଥିବାରୁ ଅସନ୍ତୋଷ ବଢ଼ିଛି।
ଏ ଦୃଶ୍ୟ ହେଉଛି ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ ପେଣ୍ଡିଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗାଁର। ଲଗାଣ ବର୍ଷା ପରେ ଗାଁ ନିକଟସ୍ଥ ନାଳରେ ବଢ଼ିଛି ଜଳ ପ୍ରବାହ। ହେଲେ ନାଳ ଉପରେ ନାହିଁ କୌଣସି ସ୍ଥାୟୀ ପୋଲ। ଫଳରେ ଭରା ନାଳ ମଧ୍ୟଦେଇ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି ଗ୍ରାମବାସୀ। ଶୁକ୍ରବାର ରାତିଠାରୁ ଲଗାଣ ବର୍ଷା ଯୋଗୁଁ ନାଳରେ ହଠାତ୍‌ ପାଣି ବଢ଼ିଯାଇଥିଲା। ବିଲରେ ରୁଆ ଓ ଡଙ୍ଗର କାମ ସାରି ଘରକୁ ଫେରୁଥିବା ଲୋକଙ୍କ ପାଇଁ ଆରମ୍ଭ ହୋଇଥିଲା ବିପଦର ଯାତ୍ରା। ପ୍ରବଳ ସ୍ରୋତ ମଧ୍ୟରେ ନାଳ ପାର ହେଉଥିଲେ ଗ୍ରାମବାସୀ। କେବଳ ଯୁବକ ନୁହନ୍ତି, ମହିଳା, ଛୋଟ ଶିଶୁ ଓ ବୃଦ୍ଧବୃଦ୍ଧାମାନେ ମଧ୍ୟ ଏହି ବିପଦସଂକୁଳ ରାସ୍ତା ଦେଇ ଯାତାୟାତ କରୁଛନ୍ତି। ବର୍ଷା ବଢ଼ିଲେ ନାଳରେ ପାଣି ଅଧିକ ହୋଇଯାଉଥିବାରୁ ସେତେବେଳେ ଗାଁବାସୀଙ୍କ ଚିନ୍ତା ଆହୁରି ବଢ଼ିଯାଏ। ଏହି ସମସ୍ୟା ନେଇ ଆମେ ବହୁବାର ପ୍ରଶାସନକୁ ଜଣାଇଛୁ। କିଛି ଦିନ ତଳେ ଭୁବନେଶ୍ୱର ଯାଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ମଧ୍ୟ ଅଭିଯୋଗ କରିଛନ୍ତି ଗ୍ରାମବାସି, ହେଲେ ଏପର୍ଯ୍ୟନ୍ତ ସନ୍ତୋଷଜନକ ପଦକ୍ଷେପ ନିଆଯାଇନାହିଁ। ଗ୍ରାମବାସୀଙ୍କ କହିବା କଥା, ବର୍ଷାଦିନେ ଭରା ନାଳ ପାର ହେବା ଏବେ ନିତିଦିନିଆ ଘଟଣା ପାଲଟିଛି। ଜରୁରୀ ସମୟରେ ରୋଗୀ, ବୃଦ୍ଧ କିମ୍ବା ଗର୍ଭବତୀଙ୍କୁ ଗାଁରୁ ବାହାରକୁ ନେବା ମଧ୍ୟ କଷ୍ଟକର ହୋଇପଡ଼ୁଛି। ତେଣୁ ଯେକୌଣସି ସମୟରେ ବଡ଼ ଅଘଟଣ ଘଟିବାର ଆଶଙ୍କା ରହିଛି। ଗ୍ରାମବାସୀଙ୍କ ଅଭିଯୋଗ ବହୁବାର ଦାବି ଓ ଅଭିଯୋଗ ପରେ ମଧ୍ୟ ନାଳ ଉପରେ ସ୍ଥାୟୀ ପୋଲ ନିର୍ମାଣ ହୋଇନାହିଁ। ଏନେଇ ଗୁଡାରି ବିଡିଓ ସୁଚିସ୍ମିତା ବେହେରା ଙ୍କ ସହ ଯୋଗାଯୋଗ କଲେ ମଧ୍ୟ ପ୍ରତିକ୍ରିୟା ମିଳିପାରିନାହିଁ।

ଅଧିକ ପଢନ୍ତୁ