ସାରସ୍ୱତ ମହକ: ଲୁକ୍କାୟିତ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବାର ସଫଳ ପ୍ରୟାସ

ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ଜିଲ୍ଲାର ପ୍ରତିଷ୍ଠିତ ତଥା ଦୃଷ୍ଟି ଆଢୁଆଳରେ ରହିଯାଇଥିବା ସାରସ୍ୱତ ସାଧକମାନଙ୍କୁ ସର୍ବସମ୍ମୁଖକୁ ଆଣିବାର ଏକ ସଫଳ ପ୍ରୟାସ ସ୍ୱରୂପ ନୂତନ ପୁସ୍ତକ ‘ସାରସ୍ୱତ ମହକ’ ସ୍ଥାନୀୟ କେ.ସି. କ୍ଳବ୍ ସଭାଗୃହରେ ଲୋକାର୍ପିତ ହୋଇଯାଇଛି। ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉନ୍ମୋଚନ ଉତ୍ସବରେ ନୟାଗଡ଼ ବିଧାୟକ ତଥା ବିଶିଷ୍ଟ ସାହିତ୍ୟିକ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁସ୍ତକଟିକୁ ଉନ୍ମୋଚନ କରିଥିଲେ। ଏଭଳି ଅଭିନବ ପ୍ରୟାସକୁ ଉଚ୍ଚ ପ୍ରଶଂସା କରି ସେ ମତବ୍ୟକ୍ତ କରିଥିଲେ ଯେ, ଏହାଦ୍ୱାରା ଅଞ୍ଚଳର ଲୁକ୍କାୟିତ ପ୍ରତିଭାମାନଙ୍କ ସମ୍ପର୍କରେ ଜାଣିବାର ଏକ ସୁବର୍ଣ୍ଣ ସୁଯୋଗ ସୃଷ୍ଟି ହୋଇଛି।କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି  ଯଶସ୍ୱୀ ସାରସ୍ୱତ ସାଧକ ଦାଶ ବେନେହୁର, ନାଟ୍ୟଭୂଷଣ ଡ. ବିଜୟ କୁମାର ଚୌଧୁରୀ ଏବଂ ‘ପକ୍ଷୀଘର ପ୍ରକାଶନୀ’ର ପ୍ରତିଷ୍ଠାତା ତଥା ସୁସାହିତ୍ୟିକ ବନୋଜ ତ୍ରିପାଠୀ ପ୍ରମୁଖ  ଯୋଗଦେଇଥିଲେ। ସାହିତ୍ୟ ସାଧନା କ୍ଷେତ୍ରରେ କୌଣସି ପ୍ରକାର ଉଚ୍ଚନୀଚ୍ଚ ଭେଦଭାବ ରହିବା ଅନୁଚିତ ବୋଲି ସେମାନେ ମତ ପୋଷଣ କରିଥିଲେ।


ନୟାଗଡ଼ ମାଟିର ଗୌରବ ବର୍ଣ୍ଣନା କରି ଅତିଥିମାନେ କହିଥିଲେ ଯେ ବିଶ୍ୱବିଖ୍ୟାତ ଜ୍ୟୋତିର୍ବିତ ପଠାଣି ସାମନ୍ତଙ୍କଠାରୁ ଆରମ୍ଭ କରି କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା, ହାସ୍ୟକବି ଯଦୁମଣି ମହାପାତ୍ର, ଦାସିଆ ଅଜା (ଦାଶରଥି ପଟ୍ଟନାୟକ), ବିନାୟକ ମିଶ୍ର, ଗୋବିନ୍ଦ ମିଶ୍ର, ରାମଚନ୍ଦ୍ର ମିଶ୍ର, ଗୋବିନ୍ଦ ସୁରଦେଓ ଏବଂ ଭୁବନେଶ୍ୱର ମିଶ୍ର ପ୍ରମୁଖ ମହାନ ସାହିତ୍ୟିକମାନଙ୍କ ଯୋଗୁଁ ନୟାଗଡ଼ ଜିଲ୍ଲା ସମଗ୍ର ରାଜ୍ୟ ତଥା ଦେଶ ପାଇଁ ଗର୍ବ ଓ ଗୌରବ ଆଣିଦେଇଛି।
ସ୍ତମ୍ଭକାର ଲଳିତ ମୋହନ ମିଶ୍ର ଏବଂ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ମିଳିତ ପ୍ରୟାସରେ ଏହି ପୁସ୍ତକଟି ସଂକଳିତ ଓ ସମ୍ପାଦିତ ହୋଇଥିବା ବେଳେ ଅଧ୍ୟାପକ ତଥା ସାହିତ୍ୟିକ ରବି ଶତପଥୀ ପୁସ୍ତକଟିର ସୁନ୍ଦର ସମୀକ୍ଷା କରିଥିଲେ। ଏହି ପୁସ୍ତକରେ ନୟାଗଡ଼ ଜିଲ୍ଲାର କୋଣ ଅନୁକୋଣରୁ ମୋଟ ୨୭୬ ଜଣ ସାରସ୍ୱତ ସାଧକଙ୍କ ଜୀବନୀ ଓ କାର୍ଯ୍ୟ ସମ୍ପର୍କରେ ସବିଶେଷ ତଥ୍ୟ ସ୍ଥାନ ପାଇଛି।

ଅଧିକ ପଢନ୍ତୁ