ନିଜସ୍ୱ ଉଦ୍ୟମରେ ନିଟ୍‌ରେ ସଫଳତା: ଫୁଲବାଣୀ ମେଡିକାଲ କଲେଜରେ ଡାକ୍ତରୀ ପଢ଼ିବେ ରାୟଗଡ଼ାର ଆଶୁତୋଷ


​ରାୟଗଡ଼ା: ନିଷ୍ଠା ଓ କଠିନ ପରିଶ୍ରମ ବଳରେ ସଫଳତା ହାସଲ କରିଛନ୍ତି ରାୟଗଡ଼ା ବ୍ରାହ୍ମଣ ସାହିର ମେଧାବୀ ଛାତ୍ର ଆଶୁତୋଷ ପାଢ଼ୀ। ସେ ନିଜସ୍ୱ ଉଦ୍ୟମରେ ପ୍ରତିଷ୍ଠିତ ନିଟ୍ (NEET UG) ପରୀକ୍ଷାରେ କୃତିତ୍ୱ ଅର୍ଜନ କରି ରାଜ୍ୟର ସରକାରୀ ମେଡିକାଲ କଲେଜରେ ଏମ୍‌ବିବିଏସ୍ (MBBS) ପଢ଼ିବା ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (OJEE) କାଉନସେଲିଂ ପ୍ରକ୍ରିୟା ଜରିଆରେ ତାଙ୍କୁ ଫୁଲବାଣୀ ସ୍ଥିତ ସରକାରୀ ମେଡିକାଲ କଲେଜରେ ଏମ୍‌ବିବିଏସ୍ ପାଠ୍ୟକ୍ରମ ପାଇଁ ସିଟ୍ ଆବଣ୍ଟିତ ହୋଇଛି।
​ଆଶୁତୋଷ ସର୍ବଭାରତୀୟ ସ୍ତରରେ ୨୫,୭୪୩ ନିଟ୍ ର‍୍ୟାଙ୍କ୍ ଏବଂ ରାଜ୍ୟରେ ୮୭୫ ର‍୍ୟାଙ୍କ୍ ହାସଲ କରିଛନ୍ତି। ତାଙ୍କ ପିତା ରାମଚନ୍ଦ୍ର ପାଢ଼ୀ ପେସାରେ ଜଣେ ଆଇନଜୀବୀ ହୋଇଥିବା ବେଳେ ମାତାଙ୍କ ନାମ ନମିତା ପାଢ଼ୀ। କୌଣସି ବଡ଼ ପ୍ରତିଷ୍ଠାନ ଉପରେ ସମ୍ପୂର୍ଣ୍ଣ ନିର୍ଭର ନକରି ନିଜ ଏକାଗ୍ରତା ଓ କଠିନ ଅଧ୍ୟବସାୟ ବଳରେ ସେ ଏହି ସଫଳତା ପାଇଥିବା କହିଛନ୍ତି। ଭବିଷ୍ୟତରେ ଜଣେ ସୁଦକ୍ଷ ଡାକ୍ତର ହୋଇ ଲୋକଙ୍କ ସେବା କରିବା ତାଙ୍କର ମୁଖ୍ୟ ଲକ୍ଷ୍ୟ ବୋଲି ସେ ପ୍ରକାଶ କରିଛନ୍ତି। ଆଶୁତୋଷଙ୍କ ଏହି ସଫଳତା ପାଇଁ ପରିବାର, ବନ୍ଧୁବର୍ଗ ତଥା ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ଏବଂ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।

ଅଧିକ ପଢନ୍ତୁ